Unknown

 

 

 

 

 

 

 

 

 

ଗଡ଼ଜାତ କୃଷକ

କୁନ୍ତଳା କୁମାରୀ ସାବତ

 

।। ୧ ।।

 

ପର ମୂଲ ଖଟି ଖଟି ଗୋକୁଳିଟି ରାତିକୁ ଫେରେ,

 

ଅରଜନଯାକ ଭାତକୁ ନିଅଣ୍ଟ ଚାଉଳ ସେରେ

ବୁଲି ବାର ବାଡ଼ି ବୁଢ଼ୀକାଳେ ଖୁଡ଼ୀ ଖୋଜନ୍ତି ଶାଗ,

 

କାନିସିରି, କଣ୍ଟାମରିଷ, ଚାକୁଣ୍ଡା, ଲହଙ୍ଗା ଅଗ

ଗୋକୁଳି ଅରଳେ ଚାଉଳ ସେରକ ତୋରାଣି ପାଇଁ,

 

ଖୁଡ଼ୀ ଅରଜନ ଅନାବନାତକ ତୁଣ ହୁଅଇ

ପୁଅଟିକି ପାଇଁ ତୋର ହଳଦୀ ବା କିଏ ପଚାରେ,

 

ପଗଡ଼େ ଲୁଣ ତ ନ ମିଳଇ ତାଙ୍କୁ ତିନି ଦିନରେ

କରମ ଆଦରି ନିଉଛୁଣା ପ୍ରାଣେ ସେ ଚାରି ପ୍ରାଣୀ

 

ଦିନକୁ ଦିନ ତ କଟେଇ ଦିଅନ୍ତି ପ୍ରମାଦ ଗଣି

କେବେ କେବେ ଖୁଡ଼ୀ କରମକୁ ନିନ୍ଦି ମନକୁ ମନ

 

କହନ୍ତି, ମୋ’ ଯୋଗୁଁ ଦୁଃଖ ପାଇଲା ମୋ’ ରଙ୍କରତନ

ପର ଝିଅଗୋଟି ଆଣିଲି, ତା’ ଦୁଃଖ ମୋ ଦୁଃଖୁଁ ବଳି,

 

କେତେ ଦିନ ଛିଣ୍ଡା ଦରବା ପିନ୍ଧିବ ମୋ’ ଧନମାଳି

ନିଉଛୁଣା ଚଷାଜନମ କିପାଇଁ ଦିଏ ବିଧାତା,

 

ଜମି ଖଣ୍ଡି ଥିଲା ସେ ତ ପର ନେଲା, ହେଲି ହିନସ୍ତା

ନ ଦେଖନ୍ତି କିଛି ଯାଆନ୍ତା ବାହାରି ପୋଡ଼ା ପୋରାଣ,

 

କିସ ପୁଣି ଦେଖା ନ ଯାଏ ବଞ୍ଚିଲେ, ଦଇବ ଟାଣ’

ଖୁଡ଼ୀ ଦୁଃଖ କେବେ କେବେ ଯେବେ ଶୁଣେ ବୋହୂଟି କାନେ,

 

କହେ ‘ମାଆ ତୁମେ କିପାଁ ଦୁଃଖ କର, ଯା’ ଥିବ କର୍ମେ’

ଆଖି ଲୁହ ତାର ଆଖିରେ ମିଶଇ ନ ଜାଣେ କେହି,

 

ହସ ହସ ମୁହଁ ପାଇଟିପତର ସବୁ କରଇ

ସାଇପଡ଼ିଶାଏ ଯେଝା ଦୁଃଖେ ଯିଏ ହୁଅନ୍ତି ଧନ୍ଦି,

 

ସାଉକାର ଋଣ ଶୁଝିବାକୁ ଯା’ନ୍ତି କନ୍ଦିକି କନ୍ଦି

ରାଜା କର ଦାଉ ବେଠି କାଠ-ଫାଉ ଫଟାଏ ବୁକୁ,

 

ପଚାରେ କେ ସାଙ୍ଗସରିଶା ପରାଣ ଯା ଦୁକୁ ଦୁକୁ

Image

 

।। ୨ ।।

 

ରାଜା ମହାଜନ ଦାଉ ଛଡ଼ା ଆନ କେଉଁ କଥାରେ

 

ନ ଥିଲା ଖାତର କେବେ ଗୋକୁଳିର ରାଜ୍ୟଯାକରେ

ଜମିବାଡ଼ି ନେଲା ମହାଜନ, ଗଲା ନଥିଲା ଚିନ୍ତା,

 

ହଳକ ଶୁଖିଲା ପିଅନ ପଢ଼ିଲା ବାକି ତାଲିକା

ରାଜ-ଦରବାରୁ ଆସିଛି କୋରଖ, ଡିହ ଖଞ୍ଜଣା

 

ବରଷକ ବାକି ସୁଧ ଶ୍ରାଦ୍ଧ ମିଶି ଦି’ଟଙ୍କା ନ’ଣା

କୋରଖ ଫିସ ତ ଟଙ୍କାଟିଏ ମୋଟେ,ଖୋରାକି କିଛି

 

ପିଅନ ତ ନେବ ରଜାଙ୍କ ଦୂତ ସେ ବାଟ ଚାଲିଛି

କୁକୁରଙ୍କ ପାଇଁ ସର୍ବେ ତିନିଖଣ୍ଡି ମଟର ଯା’ର

 

ସତୁରି ହଜାରେ କିଣା ଅଛି ସେ ସେ ତାଙ୍କ ଚାକର

ହାତଗେଞ୍ଜା କିଛି ନେବେ ଖାଞ୍ଜଣାଞ୍ଚି, ଏକାଣ୍ଟ ବାବୁ,

 

ତଉଜି ନବିଶ ବାକି ନ ପଡ଼ିବେ ସବୁରେ ସବୁ

ଗୋଳିଆ ନବିଶ ବାଟ ନ ଓଗାଳିବେ ଚାଲାଣ ଲେଖି,

 

ଛଅ ପଇସାକୁ ଟଙ୍କାଙ୍କର କଥା କହିବେ ଯୋଖି

ବଳବନ୍ତ ସଙ୍ଗେ ବିରୋଧ ବାନ୍ଧିବ ଟେକିବ ମଥା,

 

ଗୋକୁଳି ନାଏକ ଚଷା ଚାପୁଡ଼ାର ଶୁଣେ କେ କଥା

କେ ଶୁଣିବ ତାର ମରମ ବେଦନା, ଅଡ଼ୁଆ ରଜା,

 

ଗୁହାରି କରିଲେ ଦୋହରି କଷିବ, କରିବ ମଜା

କୋରଖ ହେଲେ ବି ମହଲତ ମାସେ ଥିଲା ପୂରୂବେ,

 

ନୂଆ ରାଜୁତିରେ ଦନ୍ଥରା ସେ ଧାରା ହୋଇଛି ଏବେ

ଅଜାୟଜବରଦସ୍ତିରେ ପିଅନ ପଶିଲା ଘରେ,

 

ବୋହୂ ବିରାରୀଟି ପଳାଇଲା ଡରି ବାଡ଼ି ପନ୍ତାରେ

ଚାରି କଣ ଖୋଜି ବାସନ ଦି’ଖଣ୍ଡି ସର୍ବେ ମିଳିଲା,

 

କୁନି ପୁଅ ଖିଆ ଗିନାଟିଏ ଥିଲା ତା’ ଘେନିଗଲା

ବିକି ବିକି ସବୁ ସାରିଥିଲେ ଖୁଡ଼ୀ, ଢାଳ ଗୋଟିଏ

 

ସତର କଣା ତା’ କଙ୍କାଳ ମାତର ବେଲା ଖଣ୍ଡିଏ

ତାଙ୍କରି ପହିଲିପାଳିର ଚିଜ ସେ ଥିଲା ସେତିକି,

 

ସହି ଦୁଃଖ ଦାଉ ସାଇତିଥିଲେ କି ଯମ ପାଇଁକି ?

ତାଟି କବାଟରୁ ଦିଖଣ୍ଡି ମିଳିଲା, ଭାଙ୍ଗି ପିଅନ

 

ଦାଣ୍ଡେ ଅଣାଇଲା ଢିଙ୍କି ଶିଳ ସହ ହୋଇ ଦାରୁଣ

ପର ଗାଆଁ ଲୋକେ ନିଲାମେ ଧଇରେ ଟଙ୍କାଏ ଦେଇ,

 

ଲାଞ୍ଚ ଚାରିଅଣା ସେ ପିଅନ ବାବୁ କୋପେ ଖସାଇ

ବାଟେ ବାଟେ ଗଲେ, ଗୋକୁଳି ନାଏକ, ମାରେ ନିଃଶ୍ୱାସ,

 

ଲାଞ୍ଚ ଶୁଝିବାକୁ ଦି’ଦିନ ଉପାସୀ ହେବେ ବଉଁଶ

Image

 

।। ୩ ।।

 

ଶେଯ କତରାରେ ଦିନା ଚାରି ହେବ ରୋଗାଇ ଖୁଡ଼ୀ

 

ପଡ଼ି ପଡ଼ି ତାଙ୍କ ସାହା ଉଡ଼ିଲାଣି, ଗଲେଣି ସଢ଼ି

ଜର ବାଉଳାରେ କେତେବେଳେ କଣ କହନ୍ତି, କଥା,

 

ଗୋକୁଳି ଭାରିଯା ସେବା କରିଥାଏ ନୂଆଇଁ ମଥା

ଶୁଖି ଶୁଖି ତାର ପୁଅଟି ହେଲାଣି କେଙ୍କଟ ପରି,

 

ଝାଡ଼ା ପୋଛି ପୋଛି ନ କରିବ ସେ ଯେ ଗଲାଣି ସରି

ଖାଇବା ବିହୁନେ କି ନୁହେ ମଣିଷ ମଞ୍ଚଭୂଇଁରେ,

 

ସବୁ ରୋଗ ଦୁଃଖ ଓଷଧ ମୌଷଧି ଖାଇବା ତଳେ

ଧନବନ୍ତ ଜନେ ବୁଝୁଥାନ୍ତେ ଯେବେ ଏଇ କଥାଟି,

 

ପୋକ ପ୍ରାୟେ କିପାଁ ମଣିଷ ମରନ୍ତା ଭୂଇଁ ସାଉଁଟି ?

ଘର କଥା ଭାବି ଭାବି ଗୋକୁଳିଟି ହେଲା ଆକୁଳ,

 

କି କରିବ ବୋଲି ନ ଦିଶିଲା ବୁଦ୍ଧି ଥଳ କି କୂଳ

ଅନ୍ନ ବିହୀନରେ ତା’ ପିଲାକୁଟୁମ୍ୱ ମରିବେ ଭାବି

 

ଅଜାଣତେ ମୁଦା ଆଖିକୋଣୁ ଲୁହ ଯାଉଛି ସ୍ରବି

ଏମନ୍ତ କାଳରେ ଫାଣ୍ଡି ପୋଲିସର ଧମକ ଶୁଣି

 

ଆଖି ଫିଟାଇଲା ଚାହିଁଲା ଗୋକୁଳି କୃତାନ୍ତ ମଣି

ବାଜିଗଲା ଧକା ପରେ ଦଶ ଧକା, ଯାଏ ସେ ଗଡ଼ି,

 

ଶାଳା ବାହାଁଚୋଦ ଶବଦେ ସେ ଭୁଇଁ ଗଲା ଉଛୁଳି

ଜମାଦାର ବାବୁ ବେଠି କାଠ ପାଇଁ ଥିଲେ ଡକାଇ,

 

ପ୍ରାଭବ ପାଇଲା ସକାଳୁ ନ ଗଲା ସେ ଯେ କିପାଇଁ ?

ନ ଥାଉ ତା ଜମି ରଜା ରାଇଜେ ତ କରିଛି ଘର,

 

ଏତେ ବଡ଼ କିଏ ହୁକୁମ ଏଡ଼ିବ ଜମାଦାରର !

‘ପିଅନ କୋରଖ କରୁଥିଲା ଘର’ କହିବ ବୋଲି

 

ଯେତେ ଉହୁଁ କିଲା କହି ନ ପାରିଲା ଗୋକୁଳି ଖୋଲି

ତୁଣ୍ଡ ନ ଫିଟିଲା, କେହି ନ ଜାଣିଲା ଗୁହାରି ତାର,

 

ଛୋଟ ଲୋକ ପାଶେ ଜବାବ ଦେବାଟା ଯେ ଅବେଭାର

ତିନିକୋଣ ଦୂର ଫାଣ୍ଡି ପିଣ୍ଡାତଳେ ଖାଇଲା ମାଡ଼,

 

ମାଡ଼ ଖାଇ ଖାଇ ହେଲା ଅଶକତ, ଭାଙ୍ଗିଲା ହାଡ଼

ଶ୍ରୀକାନେ ଶୁଣିଲେ ଭାରିଯାଟି ତାର ଯହୁଁ ସୁନ୍ଦର

 

ହଉ ହଉ କହି ନିଶ ସଳଖିଲେ ଶ୍ରୀଜମାଦାର

ଘରେ କିଛି ନାହିଁ ଜାଣି ରାଇଟର ପୋଲିସବାଲା

 

ଶ୍ରୀ ପାଦେ ଧକାଏ ଦେଇ ଦେଲେ ତଡ଼ି ଭାଗୋ ରେ ଶାଲା

Image

 

।। ୪ ।।

 

ପ୍ରାଣ ଧରି ଯେବେ ଚାଲଇ ଗୋକୁଳି ଅନ୍ଧାରେ ବାଟ

 

ଡହଳ ବିକଳେ ପଡ଼ିଯାଏ ମନେ ପୋଲିସ ଛାଟ

ପେଟ ପୋଡ଼ି ସଙ୍ଗେ ଯମ ଦଣ୍ଡ ପୋଡ଼ି ମିଶିଣ ତାର

 

ଜ୍ଞାନ ଯାଏ ହଜି, ଆପେ ଚାଲଇ ସେ ହୋଇ ସତ୍ୱର

ଦେହ ମୁଣ୍ଡ ପୀଡ଼ା ଖାଇ ମାଡ଼ ବନ୍ଧୁକ ଡିହ,

 

ଭାତ ଭୁଜା ଅବା ଯମପୁରେ କାହୁଁ ମିଳିବ କହ

ଏତେ କଷ୍ଟ ସେ ଯେ ଫେରିବ ଘରକୁ ମନେ ମନାସି

 

ବାହୁନିଲା ଟିକେ ମାଆ ପନ୍ଥେଇଙ୍କ ପାରୁଶେ ବସି

‘ମାଆ ଭଗବତୀ ପିଲାପିଲି ମୋର ଥିବେ ଭଲରେ,

 

ଏ ଦୟା କରିବୁ ପତିତ-ପାବନୀ ମାଗେଁ ପୟରେ’

ପୁଣି ସେ କହିଲା, ‘କହିଲୁ ମାଆ ଲୋ କି ଦୋଷ ମୋର,

 

କିପାଇଁ ଭୋଗୁଛି ଏତେ ଦୁରଦଶା କଷଣ ଘୋର ?

ଯେଣିକି ଅନାଏଁ ତେଣେ ଦେଖେଁ ଖାଲି ରକତ ଆଖି,

 

ମାରି ଖାଇଯିବେ ଟାକିଛନ୍ତି ଅବା କାଳ କାମାକ୍ଷୀ

କହିଲୁ କହିଲୁ ମାଆ ଲୋ, କହିଲୁ, ଜନମ ଦେଇ

 

ଏତେ ଦୁଃଖ ଦାଉ କିପାଁ ଖଞ୍ଜିଥାଉ ଆମରି ପାଇଁ ?

ସହି ସହି ମାଆ ହେଲେଣି ପଥର, ନେଏ ତୋ କୋଳେ,

 

ପିଲା କୁଟୁମ୍ୱ ମୋ ଜୀଉଁ ଜୀଉଁ ମଲେ ଜୀଇଁ କି ଫଳେ ?

ତୋ ଛଡ଼ା ମା ମୋର ନାହିଁ କେ ଭରସା କହିବି ଦୁଃଖ’,

 

କାନ୍ଦିଲା ଗୋକୁଳି ମାଆ ମାଆ ବୋଲି ହୋଇ ନିରେଖ

କେହି ନ ଶୁଣିଲା ତା ବିକଳ ଡାକ, ବଢ଼ିଲା ରାତି,

 

ଅନ୍ଧାର ଶୀତରେ ନାଏକ ପୁଅର ଥରିଲା ଛାତି

କି ଭାବିଲା ଚିତ୍ତେ ‘ମାଆ’ ଡାକି ଉଚ୍ଚେ ହେଲା ବାହାର,

 

ମନେ ପଡ଼ିଗଲେ ଖୁଡ଼ୀ, ସ୍ତିରୀ, ପୁଅ, ଘର ତାହାର

ଗୋକୁଳି ନାଏକ ଗୋକୁଳି ନାଏକ ସବୁ ତୁ ସହୁ,

 

ମିଛରେ ଡାକୁ ତୁ ଭଣ୍ଡ ଠାକୁରକୁ ହେ ମହାପ୍ରଭୁ ?

ପଥର ପଥର ଥିବ ଚିରକାଳ, ବୋଳି ସିନ୍ଦୂର

 

ଡାକିଲେ ତୋ ଦୁଃଖ ଶୁଣିବ କି ସେ ରେ, ହେଲୁ ବାତୁଳ ?

ଏ ଦିଅଁ ଦେବତା ଧରମ ତ ସବୁ ତୁମ ବଇରୀ,

 

ଗରିବ ଦଳିବା ପାଇଁକିରେ ବାବୁ, ଜନ୍ମ ତାଙ୍କରି

Image

 

।। ୫ ।।

 

ଗୋକୁଳି ନାଏକ ପହଞ୍ଚିଲା ଘର ନିଶୂନ ରାତି,

 

କୁଆ ସିନା ସତେ କାଆ କରିନାହିଁ କିନ୍ତୁ ପାଆନ୍ତି

ଜନମମାଟିରେ ପାଦ ନ ପଡ଼ୁଣୁ ଉଠିଲା କୋହ

 

ଗୋକୁଳି ବିକଳେ ଟଳି ଟଳି ଯାଏ ବୋହିଲା ଲୁହ

ରୋଗଶେଯେ ପଡ଼ି କାନ୍ଦୁଛନ୍ତି ଖୁଡ଼ୀ ଆହା ମୋ ଧନ,

 

ଦି’ ଦିନ ପାଇଁକି କିପାଁ ଦେଖାଇଲୁ ଚନ୍ଦ୍ରବଦନ

ମରମ ଫିଟାଇ ବୋହୂଟି କାନ୍ଦଇ ନିନ୍ଦି କରମେ,

 

ମଲା ପୁଅଟିକୁ ଧରି ମୁଖ ଚୁମି ଲୋଟଇ ଭୂମେ

ଶୁଖା ପଦ୍ମଫୁଲ ପ୍ରାୟେ ତା ମୁହଁରୁ ସେ ଲୁହଧାର

 

ବହିଥିଲା ଆଉ ଦେଖି ନ ଥିବେ ତା’ ଦିଅଁ ସମୀର

ଏସବୁ ଦେଖିଣ ତାଟକା ଗୋକୁଳି ଚାହେଁ ନିରାଟି,

 

ଭାବିଲା, ପୂରୁବ ଜନମେ କା’ ତଣ୍ଟି ଥିଲି କି କାଟି

ତେଣୁ କି ଦଇବ ଶୁଝେ ଏ ଜନମେ ଦେଇ କଷଣ

 

ମନେ ପାଞ୍ଚି ଗଲା ମଶାଣି ଭୂଇଁକୁ ନ ହେଉଁ ଦିନ

ବହୁ କଷ୍ଟେ ରାତି ପାହିଲା, ଉଇଁଲେ ଦେବ ତପନ,

 

ଫେରିଲା ଗୋକୁଳି ପୁଅ ଦାହ ସାରି ମାରି ତା ମନ

ଶୂନ୍ୟ ଘର ତାକୁ ମହାଶୂନ୍ୟ ହେଲା ଜଳିଲା ହୃଦ,

 

ପୁରୋହିତ ଟାକି ରହିଲେ ଅର୍ଜିବେ ହୋଇଲେ ଶୁଦ୍ଧ

ଘରେ ନାହିଁ ଦାନା ଖଣ୍ଡେ ଛିଣ୍ଡା କନା ନ ବୁଝେ କେହି,

 

ମାଡ଼ ଖାଇ ବୁକୁ ବଥାଏ କେ ଦୁଃଖ ଜାଣିଲା ନାହିଁ

କେ ଖୋଜଇ ଜାତି କେ ଖୋଜଇ ଜ୍ଞାତି କେ ପୁରୋହିତ,

 

ଧୋବା ଭଣ୍ଡାରୀ ତ ପାଇବେ ପାଉଣା ସେ ‘ସେବେଇତ’

କେଉଁଠୁ ଆଣିବ କି ଅବା କରିବ ଭାବେ ଗୋକୁଳି,

 

ଏଣେ ଖୁଡ଼ୀ ଦେହ ପଥି ଅଭାବରୁ ଯାଉଚି ବଳି

ମାଗି ଯାଚି ସିନା ଦିନଟାଏ ଯିବ, ସେ କି ଚଳିବା ?

 

ଖୁଣ୍ଟା ଦେଉଥିବେ କାଳକ ଅଛନ୍ତି କେତେ ମଘବା

ଭାବି ଭାବି ରକ୍ତ ଶୁଖିଲା ଗୋକୁଳି ଗରିବ ହେତୁ,

 

ପ୍ରାଣ ରଖିଥିଲା କେବଳ ସେ ତାର ସ୍ତିରୀ ସେନେହୁ

Image

 

।। ୬ ।।

 

ଏଣେ ଦିନା ଚାରି ଯାଇଚି କି ନାହିଁ ରାଜ ସର୍କାର

 

ଦିଆନି ଫାଟକେ ଧରି ଘେନିଗଲେ ଗୋକୁଳି ଛାର

ବାକିଆ ଖଜଣା ଅସୁର ହେବାକୁ ନ ଥିଲେ ବାଟ

 

ରାଜା ରାଇଜର ହାକିମ ହୁକୁମୀ ଲଗାନ୍ତି ନାଟ

ରୋଗଶେଯେ ଚେତା ପାଇ ଯେବେ ଖୁଡ଼ୀ ଶୁଣିଲେ ତାହା,

 

କାନ୍ଦିଲେ ବିକଳେ କହିବେ କାହାକୁ ନାହିଁ କେ ସାହା

ଛାଡ଼ିଗଲା ରୋଗ ଦଣ୍ଡକେ ବୁଢ଼ୀର, ବୋହୂକୁ ଡାକି

 

କହିଲେ କଅଁଳେ ଧନମାଳୀ ବୋଲି କୋଡ଼ରେ ଯାକି,

‘‘ଘରଖଣ୍ଡିକରେ ଥିବୁ ତୁ ମାଆ ଲୋ ଆସିବି ଫେରି,

 

ପୁଅକୁ ଆଣିବି ରାଜ-ଦରବାରୁ ଫେରାଇକରି

ମୁହିଁ ଥାଉଁ ଥାଉଁ ପୁଅକୁ ମୋର କେ ଦେବ ଜିହଲ,

 

ସମ୍ଭାଳିଥା’ ଘର, ଦି’ଦିନ ପାଇଁ ତ ଅଛି ଚାଉଳ”

ବାଳୁତ ବୋହୁଟି କ କହିବ ଅବା ହେଲା ସେ ତୂନୀ,

 

ହାତୁ ତା’ ପିତ୍ତଳ ଖଡ଼ୁ ଯାହା ଥିଲା କାଢ଼ି ତକ୍ଷଣି

କହିଲା, ‘‘ମାଆ ହେ କେମନ୍ତେ ଯିବାକୁ କହିବି କହ,

 

ନ ଯିବ ବୋଲି ବା କହିବି କେମନ୍ତ, ସବୁ ଦୁଃସହ

ଏଇ ଖଡ଼ୁତକ ବିକିଦେଇ ଆଣ କିଛି ପଇସା,

 

ବାଟଖର୍ଚ୍ଚ କରି ଯିବ ଗୋଟେ ଗୋଟେ ହରି ଭରସା’’

ଖୁଡ଼ୀଙ୍କ ହାତ ନ ଗଲା ତା କେବେ ବିକିବେ ବୋଲି,

 

ନ ମାନିଲା ବୋହୂ ବିକିଆଣି ଦେଲା ଦଣ୍ଡକେ ବୁଲି

କାନ୍ଦି କାନ୍ଦି ବୁଢ଼ୀ ଦୁଇ ଅଣା ଦେଇ ନେଲେ ଚାରଣା,

 

କହିଲେ ବୋହୂକୁ ଜଗି ଚଳୁଥିବୁ ଦୁଃଖୀ ଦୁଲଣା

ସାଥିରେ ଯିବାକୁ ଯେତେମତେ ବୋହୂ କଲାଟି ଅଳି,

 

ମରମ ବଚନ ବୁଝାଇ କହିଣ, ଗଲେଟି ଚଳି

ପତିତତପାବନ ଜଗନ୍ନାଥ ଚିନ୍ତି ଚାଲିଲେ ବାଟ;

 

ଜରଫର କେଣେ ଦଣ୍ଡକେ ହଟିଲା, ଦଇବ ଘଟ

ପାଳ ଦଉଡ଼ିରେ ବାନ୍ଧିଲେ ତାରେଣି ମାଆ ମଙ୍ଗଳା,

 

ଦିନକ ବାଟକୁ ଦି’ଦିନେ ଭେଟିଲେ ହୋଇ ନିର୍ଜ୍ଜଳା

ଗାଆଁ ସାଇ ଭାଇ ସମସ୍ତେ ଦୁଃଖିତ ଶୁଣିଲେ ଯେବେ,

 

କାହା କରମରେ କି ହେବ ବୋଲିଣ ଭାବିଲେ ତେବେ

Image

 

।। ୭ ।।

 

ଦି’ଦିନକୁ କହି ଗଲା ଚାରି ଦିନ,ହେଲା ଛ’ଦିନ,

 

ବୋହୂ ବିଚାରୀର ମନ ଛନ ଛନ ହୋଇଲା ପୁଣ

ଶାଶୁ ଗଲା ଦିନୁ ଦାଣ୍ଡକୁ ନ ଆସେ, କୁଡ଼ିଆ ଜଣେ

 

ବସି ଭାବୁଥାଏ ମାଆ ମଙ୍ଗଳାକୁ କାନ୍ଦି ମଉନେ

ଖିଆ ପିଆ ତାର ନ ଦେଖନ୍ତି କେହି, ଧୂଆଁ ତା’ ଘରୁ

 

ସେ ଦିନା ଛଅରେ ନ ଥିବ ବାହାରି ମୋଟେ ଜମାରୁ

କିଏ କେଣେ ଗଲେ ଏକା ଛାଡ଼ି ତାକୁ ହେଲା ବିକଳ,

 

ବିଧାତା ଘଟଣ ପଥରକୁ ମୁଣ୍ଡ ଟାଣ କାହାର

ଇଏ ମାଆ କିଆଁ ଜମାଦାର ବାବୁ ବୁଲନ୍ତି ଗାଆଁ,

 

ବୁଲି ବୁଲି ଯାଇ ଗୋକୁଳିଆ ଘରେ ହୋଇଲେ ଠିଆ

ସମସ୍ତେ ଛନକା, ସବୁ ମୁହଁ ଫିକା ଦେଖି ପୋଲିଶ,

 

ଏଡ଼େ ଟାଣ କା’ର ପଚାରି ବୁଝିବ କିବା ସନ୍ଦେଶ

ଗୋକୁଳି ଭାରିଯା ଦେଖି ଜମାଦାର ପଶିଲା ଘରେ,

 

କିନ୍ତୁ ଜମାଦାର ଆଡ଼େ ଅନାଇଲେ ଚାଷୁଣୀଟିରେ

ହସି ହସି ତାକୁ କହିଲେ, ‘‘କିଇ ଗୋ ‘ବର’ ତ ଗଲେ

 

ଛଅ ମାସ ପରେ ଲେଉଟି ଆସିବେ ପରାଣ ଥିଲେ

ବୃଥା କଷ୍ଟ କିପାଁ ପାଇବ ଏଇଠି, ଆସ ସୁନ୍ଦରୀ,

 

ବଡ଼ ମଉଜରେ ରଖିବି ସାଇତି ନେବି ମୁଁ ବରି’’

ଶୁଖିଲା ଗୋକୁଳି ଭାରିଯା ଏକଥା ଯେବେ ତକ୍ଷଣି

 

ରାଗ ଗରଗର ହେଲା ତା’ ବୁକୁ ଲୋ ସେ କି ‘ନାଗୁଣୀ’

ଟାଣି ସେ କହିଲା–‘କିଏ ସେ ରେ ତୁଇ ହେବ ଅଜୀର୍ଣ୍ଣ,

 

ଚଷା ବୋଲି ଆମେ ଏତେ ତୋ ସାହସ କହୁ ଅଧର୍ମ୍ମ

ମାଆ ଭଉଣୀ କି ନାହାନ୍ତି ତୋହର କହୁ ଏ କଥା,

 

ଭଲେ କଲେ ଯାଅ, ନୋହିଲେ ଅର୍କ୍ଷିତ ଭାଙ୍ଗିବି ମଥା’’

ଜମାଦାରେ ଶୁଣି ହୋଇଲେ ତଟସ୍ଥ ଚାକିରୀ ଦିନୁ,

 

ଏମନ୍ତ ଜବାବ କରି ନଥିଲା କେ ଏ ଶାଳୀ ବିନୁ

କହିଲେ, ‘‘ଦେଖ ଏ ବଜାତି ଚାଷୁଣୀ କେଡ଼େ ସାହସୀ,

 

ମୋ ସଙ୍ଗେ ଯେବେ ତୁ ବିରୋଧ ବାନ୍ଧିଲୁ ଦେଉଚି କଷି’’

ଦିନ ଦିପହରେ ଘରେ ତାର ପଶି ପୋଲିସ ସଙ୍ଗେ

 

କଲେ ଯେ ଅନୀତି ଦେଖି ନ ଥିବେ ତା ତପନ କେବେ

କିନ୍ତୁ ଚାଷୁଣୀର ସତୀତ୍ୱ କେବେ ସେ ନେଇ ନ ପାରି

 

‘ହଉ ଚଣ୍ଡାଳୁଣୀ’ କହି ଗଲେ ଚାଲି ଦାଣ୍ଡେ ବାହାରି

ପ୍ରାଣଡ଼ରେ ଯେଝା ଉହାଡ଼େ ଲୁଚିଲେ ସାଇପଡ଼ିଶା,

 

ଛ’ ଦିନ ଉପାସୀ ନାରୀର ନ ହେଲେ କେହି ଭରସା

ଦିଅଁ ଦେବତାଏ କେହି ନ ଶୁଣିଲେ ଶୁଣିବା କଥା,

 

ଆଗତ ଆପଦ ସୁମରି ବୋହୂଟି ପୋତିଲା ମଥା

ସତୀ ସୁକୁମାରୀ ଚଷାର କୁମାରୀ ସ୍ୱାମୀ ସୁମରି

 

ମନେ ମନେ ଶାଶୁ ଚରଣେ ପ୍ରଣମି ଦେଲା ଦଉଡ଼ି

ରାତି ନ ହେଉଣୁ ହାରିଲା ଜୀବନ ହୋଇ ଗୋପନ,

 

ଗଛ ଫାଙ୍କେ ଖାଲି ସାକ୍ଷୀ ରହିଥିଲା ରବି-କିରଣ

Image

 

।। ୮ ।।

 

ହାତକଡ଼ା ଦେଇ ଗୋକୁଳିକୁ ନେଇ ରାଜାଙ୍କ ପ୍ରାଶ

 

ହାଜର କରାଇ ଫାଣ୍ଡି ପୋଲିସିଏ ନେଲେ ସାବାସ

କାଠର ପିତୁଳା ପରାଏ ଗୋକୁଳି କ୍ଷଣକେ ରହି

 

ଚାରି ଚଉହଦି କୋଠାବାଡ଼ିସବୁ ନିରାଟି ଚାହିଁ

କହିଲା ଆକୁଳେ, ‘‘ହଜୁର ତ ମୋର ଯା’ ଥିଲା ଦେଲି,

 

ଉପାସ ଭୋକେ ତ ମରିଯାଉଅଛୁଁ ସବୁ ସାରିଲି

ରଜା ହୋଇ ଯଦି ଆମ ଦୁଃଖ କେବେ ମଣିମା ତୁମେ

 

ଶୁଣୁଥାନ୍ତ ତେବେ ଏତେ କଷ୍ଟ କିପାଁ ଭୋଗନ୍ତୁ ଆମେ ?’’

ଛାମୁଙ୍କ ଶ୍ରୀମୁଖୁଁ ଫୁଟିଲା ବଚନ ‘‘ଚୁପ୍‌ ବେ’ ଯାଅ ’’

 

ଦିଆନ ବାବୁଙ୍କ କଚେରୀରେ ଯାଇ ହାଜିରା ଦିଅ’’

ଧର୍ମ ଅବତାର ଦିଆନ କହିଳଲେ, ‘‘ହଇବେ ଶାଲା,

 

ଖଜଣା ନ ଦେଇ ରାଜା ରାଇଜରେ ଅଛି କେ ଭଲା ?’’

ଖୁଡ଼ୀ ବୁଢ଼ୀ ଯାଇ ଚରଣେ ଲୋଟିଲା, କହିଲା ଗିର’’

 

ଭରସି କହିଲା, ‘‘ଗୋକୁଳି ରେ ମୋର ଡରନା କେବେ,

 

ଦଶଟଙ୍କା ପାଇଁ ଏଇ ତ ପଚାଶେ ଡିଗିରି ସେବେ

ଧନୀ ମହାଜନେ ଦେଇଥିଲେ ଖାଇ ଲାଞ୍ଚ ସତୁରି,

 

ଜମିବାଡ଼ି ଗଲା, ହେଲେଁ ନାରଖାର କରି ବିକିରୀ

ଭଉଣୀକୁ ତୋର ହୋଇଛନ୍ତି ବାହା ଡାକନ୍ତି ଶାଲା,

 

ଅଳପ ନୁହନ୍ତି ଆଚ୍ଛା ଜଣେ ୟାଙ୍କ ବିଚାର ଭଲା’’

ମରମେ ବାଜିଲା କୁନ୍ତ ପରି ସିନା ହାକିମଙ୍କର,

 

ଶ୍ରୀଛାମୁଁ ଛାମୁଆଁ ବାଇଆଣୀ ବୋଲି ଦେଲେ ପାହାର

ଯା’ ବିବେକ ଥଳି ଉଇ ହୁଙ୍କା ପ୍ରାୟେ ଫିଟିଚି ଜାଲି

 

ସେ କାହୁଁ ଜାଣିବ ଧରମ ଅଧର୍ମ ଯିବ ତ ଗଳି

ଡିହଖଣ୍ଡି ହେଲା ସରକାରୀ, ନେଲା ହରିଆ ସାଉ,

 

ବଡ଼ କୋଚଟ ସେ କଷି କଷି କଲା ପନ୍ଦର ଭାଉ

ଛ’ମାସ ପାଇଲା ଗୋକୁଳି ଜିହଲ, ଶୁଣିଲା ବୁଢ଼ୀ,

 

କାନ୍ଦି କାନ୍ଦି ଧର୍ମ ଅବତାର ଆଗେ ଗଲା ସେ ଗଡ଼ି

କେହି ନ ଶୁଣିଲେ ବିଧବା ଗୁହାରି ଭାଙ୍ଗି କଚେରୀ

 

ଯେଝା ଘରେ ଗଲେ, ବୁଢ଼ୀଟି ରହିଲା ଭୂଇଁରେ ପଡ଼ି

Image

 

।। ୯ ।।

 

କି ମନେ ଭାବିଲା ଘରକୁ ଫେରିଲା ଦେଖିବ ବୋହୂ,

 

କିନ୍ତୁ ବୋହୂ ବେକେ ଦଉଡ଼ାର ହାର ଦେଖିଲା ଯହୁଁ

ହସି ହସି ବୁଢ଼ୀ ଆଦରେ ଚୁମିଲା ତା’ ମଡ଼ା ମୁଖ,

 

ଶୁଖିଲା ଆସିବେ କାଲି ଜମାଦାର କରି ତଦାର୍ଖ

ସିଂହ ସମ ବଳ ଅଇଲା ତା’ ଦେହେ, ଭାଙ୍ଗି କୁଡ଼ିଆ

 

କାଠ ବାଉଁଶକୁ କରିଲା ଏକାଠି ଅଣଆଡ଼ିଆ

ନିଆଁଟିକେ ଦେଇ କହିଲା, ‘‘ହେ ଦେବ ବିଶ୍ୱ-ପାବନ,

 

ଅରକ୍ଷିତ ପ୍ରାଣୀ କରିବ ଉଦ୍ଧାର ତେଣୁ ପ୍ରଣାମ

ଗଛ ପରବତ ନଈ ନାଳ ପଛେ କରିବ ମୋତେ,

 

ମଣିଷ ଜନମ କେବେ ନ ଦେବ ହେ ମାଗୁଣି ଏତେ

ଆହୁରି ଗୋଟିଏ କଥା ମୁଁ କହିବି ଶୁଣ ଅନଳ,

 

ରାଜା ରାଇଜର ନ କର ପର୍ବତ, ନଈ କି ନାଳ”

ଜନମମାଟିକି ଚାହିଁଲା ନିରାଟି ‘‘ଆହାରେ ଭୂଇଁ,

 

କେତେ କାଳୁ ସତେ କେତେ ମଣିଷଙ୍କୁ ରଖିଚୁ ତୁହି

ତୋତେ ମାୟା କରି ହେଲି ଏତେ ସରି ସଂସାର ଭୋଳେ,

 

ମୋ ପରି ପାତକୀ ଦେଖି ନ ଥିବୁ ତୁ କେବେ ତୋ କୋଳେ

ତୋହରି ଉପରେ ଏଇ କୁଡ଼ିଆରେ ମୋର ବଉଁଶ

 

କେତେ କାଳୁ ଥର ଥର କରିଦେଇ ହାଡ଼ ପାଉଁଶ

କେତେ ଦୀର୍ଘଶ୍ୱାସେ କେତେ ଦୁଃଖ ତ୍ରାସେ ତୋହରି ପରେ

 

ଲୀଳା କରିଯାଇଅଛନ୍ତି, ବନ୍ଦଇ ତୋ ଚରଣରେ

ରଜା ରାଇଜର ଭୂଇଁ ତୁ ବାବୁରେ, ନେଉଚି ବିଦା,

 

ମଣିଷ ନ ରଖ ମାଗୁଣି ଏତିକି ହୁଅ ରେ ପଦା”

ଏହା କହି ବୁଢ଼ୀ ପ୍ରଚଣ୍ଡ ଅନଳେ ପକାଇ ଶବ

 

କି ଭାବିଲା ନିଆଁ ଚାରିପାଖେ ବୁଲି ହେଲା ଗଦ୍‌ ଗଦ

‘ପ୍ରଭୁ ଜଗନ୍ନାଥ, ଗୋକୁଳି ରେ ମୋର’ ଡାକିଣ ଡାକେ

 

ନିଆଁରେ ପଡ଼ିଲା, ସାଇ ପଡ଼ିଶାଏ ନ ଥିଲେ ପାଖେ

ଡରି କିଏ କେଣେ ଲୁଚ ଦେଖୁଥିଲେ ପୋଲିସ ଯେବେ

 

ଆସିବ କି ହେବ ଏହି ଗାଆଁ ଖଣ୍ଡ ଭାବିଣ ହୃଦେ

ସତକୁ ସତ ତ ଘଟିଗଲା ତାହା ଅଳପ ଦିନେ,

 

ମାଡ଼ ଖାଇ ଗାଆଁ ଦେଲା ଜରିମାନା ଧର୍ମ୍ମ ହାକିମେ

କଡା ଗଣ୍ଡା କରି ପୋଲିଶିଏ ନେଲେ ବିକେଇ କଂସା

 

ରଜା ରାଇଜ ମା ପାଟି ନ ଫିଟା ଲୋ ଦେବେଟି ଖାସା

Image

 

।। ୧୦ ।।

 

ଛଅ ମାସ ପରେ କଇଦରୁ ଫିଟି ଗୋକୁଳି ଆସେ,

 

ମଡ଼ା ପରି ଦିଶେ, ତେବେ ତ ଚାଲଇ ବଡ଼ ତରାସେ

ଦେଖିବ ଖୁଡ଼ୀକି ଦେଖିବ ସ୍ତିରୀକ ଟାଣଇ ମାୟା,

 

କାୟା ନ ଥାଇ ଯେ ସପନରେ ହେଲେ ପକାଇ ଛାୟା

ଦେଖିବ ଜନମ ମାଟିଖଣ୍ଡି ତାର ଏ ଭାବି ମନେ

 

ପହଞ୍ଚି ଦେଖିଲା ଯାହା ସେ ନୟନେ ରହିଲା ଧ୍ୟାନେ

ଧ୍ୟାନ ନ ଭାଙ୍ଗିଲା ପିଣ୍ଡ ନ ହଲିଲା ଦେଖିଲେ ଲୋକେ,

 

ଆହା ଆହା କରି ମଣିପେ ମାଇପେ ଗଡ଼ିଲେ ଶୋକେ

ଯମ ପୁଲିଶଙ୍କ ସେ ବିପଦ ଡେଲି ରହିବା ପାଇଁ

 

ଗାଆଁ ଖଣ୍ଡକର ଇଜ୍ଜତ ମହତ ସରିଚି ଭାଇ

ତଥାପି ସେ ଗ୍ରାମେ ଅଛନ୍ତି ମଣିଷ ସତ ଏ କଥା,

 

ଦେବତା ରଜାଙ୍କ ଶାସନେ ନେଉଛୁଁ ଏହି ଅବସ୍ଥା

Image